ନୂଆଦିଲ୍ଲୀ: ଗତ ୫ ବର୍ଷ ମଧ୍ୟରେ ୭୩୦ ଜଣ ଯବାନ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସେମାନେ ଛୁଟିସାରି ଘରୁ ଫେରିବା ପରେ ଜୀବନ ହାରୁଥିବା ଦେଖିବାକୁ ମିଳିଛି । ଏହି ୫ ବର୍ଷରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍), ନ୍ୟାସନାଲ ସିକ୍ୟୁରିଟଇ ଗାର୍ଡ (ଏନଏସଜି), ଆସାମ ରାଇଫଲ୍ସ (ଏଆର)ପରି ଅର୍ଦ୍ଧ ସାମରିକ ବଳର ୭୩୦ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି । ଏ ନେଇ ବୁଧବାର ରାଜ୍ୟସଭାର ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହା କହିଛନ୍ତି ।
ଜଣାଯାଇଛି ଯେ, ୨୦୨୦ରେ ୧୪୪ ଜଣ ଯବାନ ଆତ୍ମହତ୍ୟା କରିଥିବାବେଳେ ୨୦୨୧ରେ ୧୫୭, ୨୦୨୨ରେ ୧୩୮, ୨୦୨୩ରେ ୧୫୭ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି । ସେହିପରି ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧୩୪ ଜଣ ଯବାନ ଆତ୍ମହତ୍ୟା କରିସାରିଲେଣି । ଏହି ଅବଧି ମଧ୍ୟରେ ୫୫,୫୫୫ ଜଣ ଯବାନ ଇସ୍ତଫା ଓ ଇଚ୍ଛାଧୀନ ଭାବେ ଅବସର ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୭,୬୬୪ ଜଣ ଯବାନ ଇସ୍ତଫା ଦେଇଥିବାବେଳେ ୪୭,୮୯୧ ଜଣ ଯବାନ ଇଚ୍ଛାଧୀନ ଅବସର ଗ୍ରହଣ କରିଛନ୍ତି ।
ଅଧିକାଂଶ ଆତ୍ମହତ୍ୟା ବ୍ୟକ୍ତିଗତ କାରଣ ଯୋଗୁ ହୋଇଥିବା ନିତ୍ୟାନନ୍ଦ କହିଛନ୍ତି । ଖାସକରି ସ୍ତ୍ରୀ କିମ୍ବା ପରିବାର ସଦସ୍ୟଙ୍କ ମୃତ୍ୟୁ, ଛାଡ଼ପତ୍ର, ଆର୍ôଥକ ସମସ୍ୟା, ପିଲାମାନଙ୍କ ପାଇଁ ଶିକ୍ଷା ସୁଯୋଗର ଅଭାବ ଆଦି କାରଣରୁ ଯବାନମାନେ ଆତ୍ମହତ୍ୟା କରୁଛନ୍ତି । ଅର୍ଦ୍ଧସାମରିକ ବଳର ଯବାନମାନଙ୍କ ଆତ୍ମହତ୍ୟା ବୃଦ୍ଧିର କାରଣକୁ ଅଧ୍ୟୟନ କରୁଥିବା ଟାସ୍କଫୋର୍ସ ନିଜ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ କରିଛି । ତେବେ ଆତ୍ମହତ୍ୟା କରିଥିବା ଯବାନଙ୍କ ମଧ୍ୟରୁ ୮୦% ଘରୁ ଛୁଟି ସାରି କାର୍ଯ୍ୟକୁ ଫେରିବା ପରେ ଆତ୍ମହତ୍ୟା କରିଛନ୍ତି । ଯବାନଙ୍କ ଆତ୍ମହତ୍ୟା ରୋକିବା ଦିଗରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୦୦ ଦିନ ଛୁଟି ନୀତିକୁ କାର୍ଯ୍ୟକାରୀ କରିଛନ୍ତି ।