ମସ୍କୋ: ୟୁକ୍ରେନ୍ ଉପରେ ଆଇସିବିଏମ (ଇଣ୍ଟରକଣ୍ଟିନେଣ୍ଟାଲ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର)ମାଡ଼ କଲା ରୁଷ । ଗୁରୁବାର ସକାଳେ ଡିନିପ୍ରୋ ସହରରେ ହୋଇଥିବା ଆକ୍ରମଣ ସମୟରେ ଏହାକୁ ବ୍ୟବହାର କରିଛି ରୁଷ । ୟୁକ୍ରେନର ବାୟୁସେନା ଏକ ବିବୃତିରେ କହିଛି ଯେ ରୁଷିଆର ଆଷ୍ଟ୍ରାଖାନ୍ ଅଞ୍ଚଳରୁ ଏକ ଆନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ତେବେ କେଉଁ ପ୍ରକାର ଆଇସିବିଏମ ରୁଷିଆ ଚଳାଇଛି ତାହା ସ୍ପଷ୍ଟ ହୋଇନାହିଁ ।
ୟୁକ୍ରେନର ସେନା ଆହୁରି ମଧ୍ୟ କହିଛି ଯେ, ଡିନିପ୍ରୋ ଉପରେ ହୋଇଥିବା ଆକ୍ରମଣରେ ୭ଟି କ୍ରୁଜ୍ କ୍ଷେପଣାସ୍ତ୍ର ସହ ଏକ୍ସ-୪୭ଏମ୍୨ କିନଜାଲ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ଆକ୍ରମଣ କରାଯାଇଥିଲା। ଗୋଟିଏ ବ୍ୟତୀତ ଅନ୍ୟ ସମସ୍ତ କ୍ରୁଜ୍ କ୍ଷେପଣାସ୍ତ୍ରକୁ ଖସାଇ ଦିଆଯାଇଥିଲା। ଅନ୍ୟ କ୍ଷେପଣାସ୍ତ୍ର ବିଶେଷ କ୍ଷୟକ୍ଷତି କରି ନ ଥିଲା।
ଆଇସିବିଏମ୍ ହେଉଛି ଦୂରଗାମୀ କ୍ଷେପଣାସ୍ତ୍ର। ଏଗୁଡ଼ିକ ଆକାରରେ ବଡ଼ ଓ ଭାରି ହୋଇଥାଏ। ଏହା ବିପୁଳ ପରିମାଣର ବିସ୍ଫୋରକ କିମ୍ବା ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିବା ପାଇଁ ଡିଜାଇନ୍ କରାଯାଇଥାଏ। ଏହି କାରଣରୁ ସେଗୁଡ଼ିକ ବହୁତ ବିପଜ୍ଜନକ ଅଟନ୍ତି । ଆଇସିବିଏମ୍ ଲ୍ଞ୍ଚ୍ ହେବା ପରେ ପ୍ରଥମେ ଉଚ୍ଚତା ହାସଲ କରିଥାଏ। ଏମାନେ ପୃଥିବୀର ବାୟୁମଣ୍ଡଳ ଉପରକୁ ଯାଇ ଅତି ଦ୍ରୁତ ବେଗରେ ଲକ୍ଷ୍ୟ ଆଡ଼କୁ ଗତି କରିଥାନ୍ତି। ନିକଟତର ହେଲେ ସେମାନେ ବାୟୁମଣ୍ଡଳରେ ପୁନର୍ବାର ପ୍ରବେଶ କରି ଟାର୍ଗେଟରେ ମାଡ଼ ହୋଇଥାନ୍ତି ।