ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଅଭିଯୋଗ ଆଣିଛି ଭାଜପା । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛି ଭାଜପା । ଭିଡ଼ିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗତ ମଙ୍ଗଳବାର ସଂସଦରେ ସମ୍ବିଧାନ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୋୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ସାମିଲ ହୋଇଥିଲେ । ହେଲେ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନିଜ ଆସନରେ ବସିବା ପୂର୍ବରୁ ରାହୁଲ ବସିଯାଇଥିଲେ । ଏହି ସମୟରେ ନିଜ ଆସନରେ ନ ବସି ଠିଆ ହେବାକୁ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ରାହୁଲଙ୍କୁ କହିଥିଲେ । ପରେ ରାହୁଲ ଛିଡ଼ା ହୋଇଥିଲେ । ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟର ବୋଲି ରାହୁଲ ଏପରି କରିଥିବା ଭାଜପା ଅଭିଯୋଗ କରିଛି। ଏହାର ଦୁଇଟି ଭିଡ଼ିଓ ସୋସିଆଲ ମିଡ଼ିଆ ଏକ୍ସରେ ସେୟାର କରିଛି ଭାଜପା ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଷ୍ଟ୍ରପତି ବସିବା ପୂର୍ବରୁ ମଞ୍ଚରେ ସେ ନିଜ ଆସନରେ ବସୁଥିବା ଦେଖାଯାଉଛି। ଏହି ସମୟରେ ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଛିଡ଼ା ହେବାକୁ କହୁଥିବା ଦେଖିବାକୁ ମିଳିଛି । ସେହିଭଳି ଅନ୍ୟ ଭିଡିଓରେ ସମସ୍ତ ନେତା ରାଷ୍ଟ୍ରପତିଙ୍କ ଅଭିବାଦନ କରିଥିବା ବେଳେ ରାହୁଲ ତାହା କରି ନାହାନ୍ତି। ଏଣୁ ଏହାକୁ ସେୟାର କରି ରାହୁଲ ସର୍ବଦା ରାଷ୍ଟ୍ରପତିଙ୍କ ଅପମାନ କରୁଥିବା ଭାଜପା କହିଛି।