ନୂଆଦିଲ୍ଲୀ: ଏବେ ଅଡୁଆରେ କଂଗ୍ରେସ ଏମପି ପ୍ରିୟଙ୍କା ଭଦ୍ରା। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ନିର୍ବାଚନକୁ ଚ୍ୟାଲେଞ୍ଜ କରିଛନ୍ତି ଭାରତୀୟ ଜନତା ପାର୍ଟି ନେତା ନବ୍ୟା ହରିଦାସ। ପ୍ରିୟଙ୍କା ଦାଖଲ କରିଥିବା ନାମାଙ୍କନ ପତ୍ରରେ ସମ୍ପତ୍ତିକୁ ସଠିକ ଭାବେ ପ୍ରକାଶ କରିନାହାଁନ୍ତି ଏବଂ ଭୁଲ ତଥ୍ୟ ଦେଇଛନ୍ତି ବୋଲି କେରଳ ହାଇକୋର୍ଟରେ ହରିଦାସ ଦାବି କରିଛନ୍ତି । ଏହା ଆଦର୍ଶ ଆଚରଣ ବିଧି ବିରୁଦ୍ଧ ଏବଂ ଦୁର୍ନୀତିଗ୍ରସ୍ତ ଆଚରଣ ସହ ସମାନ ବୋଲି ସେ କହିଛନ୍ତି । ଏବେ ପ୍ରଶ୍ନ ହେଉଛି ଭାଜପା ନେତାଙ୍କ ଏହି ସଙ୍ଗୀନ ଅଭିଯୋଗ ପରେ ପ୍ରିୟଙ୍କା ତାଙ୍କ ଏମପି ପଦ ହରାଇବେ କି ?
କେରଳର ୱାୟନାଡ ଲୋକ ସଭା ଆସନରେ ଅନୁଷ୍ଠିତ ଉପ-ର୍ନିବାଚନରେ ହରିଦାସଙ୍କୁ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଞ୍ଚ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ନବ୍ୟାଙ୍କ ଆବେଦନକୁ କୋର୍ଟ ନିଶ୍ଚିତ କରିଥିବାବେଳେ ଡିସେମ୍ବର ୨୦ରୁ ଜାନୁୟାରୀ ୫ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ଥିବାରୁ ୨୦୨୫ ଜାନୁଆରୀ ରେ ଏହି ମାମଲାର ଶୁଣାଣି ହେବ ।
ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ତାଙ୍କର ୪.୨୪ କୋଟି ଟଙ୍କା ସ୍ଥାବର ସମ୍ପତ୍ତି ଏବଂ ୧୩.୮୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସେ ୧୫ ଲକ୍ଷ ୭୫ ହଜାର ଟଙ୍କା ଋଣ କରିଛନ୍ତି। ସେହିପରି ପ୍ରିୟଙ୍କାଙ୍କ ପାଖରେ ୫୯.୮୩ କିଲୋଗ୍ରାମ ମୂଲ୍ୟର ରୂପା ରହିଛି। ଯାହାର ମୋଟ ମୂଲ୍ୟ ୨୯.୫୫ଲକ୍ଷ ଟଙ୍କା। ତାଙ୍କ ପାଖରେ ୪.୪୧ କିଲୋଗ୍ରାମ ମୂଲ୍ୟର ଅଳଙ୍କାର ଅଛି, ସେଥିମଧ୍ୟରୁ ୨.୫ କିଲୋଗ୍ରାମ ସୁନା ଅଟେ। ଯାହାର ମୂଲ୍ୟ ହେଉଛି ୧କୋଟି ୧୫ଲକ୍ଷ ୭୯ହଜାର ଟଙ୍କା। ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ଏକ ଦାମୀ କାର ମଧ୍ୟ ଅଛି। ଏଥିସହ ତାଙ୍କ ପାଖରେ ୨ କୋଟି ୧୦ ଲକ୍ଷରୁ ଅଧିକ ମୂଲ୍ୟର ଚାଷ ଜମି ରହିଛି ଏବଂ ଶିମଲାରେ ଥିବା ତାଙ୍କ ଘର ୪୮,୯୯୭ ବର୍ଗଫୁଟ ଅଞ୍ଚଳରେ ର୍ନିମିତ ହୋଇଛି।