ବନବିଭାଗ ଆସିଲାନି, ରାତି ଅଧରେ ଜଙ୍ଗଲରୁ ନିଆଁ ଲିଭାଇଲେ ମା’-ଝିଅ

ଫୁଲବାଣୀ: ରାଜ୍ୟରେ ଖରା ଦିନକୁ ଦିନ ବଢିବାରେ ଲାଗିଛି । ତାତି ବଢିବା ସହ ଜଙ୍ଗଲରେ ନିଆଁ ଲାଗିବା ମଧ୍ୟ ବଢି ବଢି ଚାଲିଛି। ଯାହା ଏବେ ଚିନ୍ତାରେ ପକାଉଛି । ବନ ବିଭାଗ ଅନେକ ପ୍ରୟାସ ପରେ ବି ପ୍ରାୟ ସ୍ଥାନରେ ନିଆଁକୁ ରୋକିବା ସମ୍ଭବ ହେଉନାହିଁ । ହେଲେ ଫୁଲବାଣୀରେ ବନବିଭାଗ ନ ଆସିବାରୁ ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଲିଭାଇ ସାହସିକତା ଦେଖାଇଛନ୍ତି ମା’-ଝିଅ। ଜଙ୍ଗଲରେ ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ଲିଭାଇ ଜୀବନ ଜନ୍ତୁକୁ ରକ୍ଷା କରିବା ସହ ବିଶାଳ ବିଶାଳ ଗଛର ମଧ୍ୟ ସୁରକ୍ଷା କରିଛନ୍ତି। କେବଳ ସେତିକି ନୁହେଁ, ଗାଁ ଆଡକୁ ମାଡି ଆସୁଥିବା ନିଆଁ ପାଇଁ ଯେଉଁ ଚିନ୍ତା ଥିଲା ତାକୁ ବି ଦୂର କରିଛନ୍ତି। ମା’-ଝିଅଙ୍କର ଏପରି ଉଦ୍ୟମକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି।

ରାଜ୍ୟରେ ତାତି ବଢିବା ସହ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। କନ୍ଧମାଳର ଅନେକ ଜଙ୍ଗଲ ନିଆଁର ଆଁ ରେ ହୁତୁହୁତୁ ହୋଇ ଜଲୁଛି। ନିଆଁ ଲିଭାଇବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ପରେ ବି ନିଆଁ ଆୟତ୍ତ କରାଯାଇପାରୁ ନାହିଁ । ଆଉ ଏହାରି ଭିତରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ଅନ୍ତର୍ଗତ ମେଲୁମାହା ଗ୍ରାମରେ ଜଣେ ମହିଳା ବିମଳା ନାୟକ ଏବଂ ତାଙ୍କ ଝିଅ ଲିପିକା ନାୟକ ଗ୍ରାମ ଉପକଣ୍ଠ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକି ଉଦାହରଣ ପାଲଟିଛନ୍ତି। ଯେଉଁ କାମ ବନ ବିଭାଗ କରିବା କଥା, ତାକୁ ମା’- ଝିଅ କରି ଦେଖାଇଛନ୍ତି ।

ମେଲୁମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିଲା। ଏହି ନିଆଁ ଧିରେ ଧିରେ ମେଲୁମାହା ଗ୍ରାମ ଆଡକୁ ମାଡି ମାଡି ଚାଲିଥିଲା। ଯାହା ଆଖପାଖ ଅଞ୍ଚଳର ସମସ୍ତଙ୍କ ଚିନ୍ତା ବଢାଇ ଦେଇଥିଲା। ନିଆଁକୁ କିପରି ଆୟତ୍ତ କରିହେବ ସେ ନେଇ ସମସ୍ତେ ଚିନ୍ତାରେ ପଡିଯାଇଥିଲେ। ଯଦି ନିଆଁ ଆୟତ୍ତକୁ ନ ଆସେ ତେବେ ଆଖପାଖ ପୁରା ଅଞ୍ଚଳ ଜଳି ପୋଡି ଛାରଖାର ହୋଇଯିବ। ଆଉ ଏହି ଆଲୋଚନା ଭିତରେ ସାହସିକତା ଦେଖାଇଥିଲେ ଉକ୍ତ ବିମଳା ଓ ତାଙ୍କ ଝିଅ ଲିପିକା । ନିଆଁ ଗାଁ ମୁହାଁ ହେବା ଦେଖି ଅନ୍ଧାର ରାତିରେ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଥିବା ବେଳେ ଅନ୍ୟମାନେ ଦେଖଣାହାରି ସାଜିଥିଲେ। ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କେହି ଘଟଣାସ୍ଥଳରେ ପହଞ୍ଚି ନଥିଲେ।

ମା’- ଝିଅ ଦୁହେଁ ଅନ୍ଧାର ରାତିରେ ନିଆଁ ଲିଭାଇବାକୁ ସେମାନଙ୍କ ପୋଷା କୁକୁରକୁ ନେଇ ବାହାରି ପଡ଼ିଥିଲେ। ପ୍ରାୟ ଅଧ କିଲୋମିଟର ପାହାଡ଼ ଚଢ଼ିବା ପରେ ଦୁହେଁ ନିଆଁ ଲାଗିବା ସ୍ଥାନରେ ପହଞ୍ଚିଥିଲେ। ପ୍ରଥମେ ଜଙ୍ଗଲରେ ପଡ଼ିଥିବା ଶୁଖିଲା ପତ୍ରକୁ ଝାଡ଼ୁ କରି ନିଆଁ ଲାଗିବା ସ୍ଥାନଠାରୁ ଅଲଗା କରି ଦେଇଥିଲେ। ଫଳରେ ଆଉ ନିଆଁ ବ୍ୟାପି ପାରି ନ ଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ପରିଶ୍ରମ କରି ଶେଷରେ ନିଆଁକୁ ସମ୍ପୂର୍ଣ୍ଣ ଲିଭାଇ ପାରିଥିଲେ। ବିମଳା ଓ ଲିପିକାଙ୍କ ଏପରି କାର୍ଯ୍ୟକୁ ଦେଖି ଗାଁଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *