ଭଗବାନ ଶ୍ରୀଗଣେଶ। ଭକ୍ତଙ୍କ ବିଘ୍ନ ଦୂର କରନ୍ତି ବୋଲି ସେ ବିଘ୍ନହର୍ତ୍ତା। ତେବେ ସାରାଦେଶରେ ବିଭିନ୍ନ ସ୍ଥାନରେ ଭଗବାନ ଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ। ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି। ସମସ୍ତ ମନ୍ଦିରଠୁ ସମ୍ପୂର୍ଣ୍ଣ ଭିନ୍ନ ହେଉଛି, ରାଜସ୍ଥାନର ତ୍ରିନେତ୍ର ଗଣେଶ ମନ୍ଦିର। ଏହି ମନ୍ଦିର ସାୱାଇ ମାଧପୁରରୁ ୧୨ କି.ମି ଦୂରରେ ରହିଛି। ମନ୍ଦିରର ବିଶେଷତ୍ୱ ହେଉଛି ଯେ , ଦେଶ ବ୍ୟାପି ଶ୍ରଦ୍ଧାଳୁ ଏଠାକୁ ଚିଠି ଓ ନିମନ୍ତ୍ରଣ ପତ୍ର ପଠାଇଥାନ୍ତି। ପ୍ରତିଦିନ ଡାକ ଜରିଆରେ ଶହ ଶହ ଚିଠି ଏଠାକୁ ଆସେ। ସମସ୍ତ ଚିଠିରେ ତ୍ରିନେତ୍ର ଗଣେଶଙ୍କ ଠିକଣା ଲେଖା ହୋଇଥାଏ। ହିନ୍ଦୀ ଓ ଇଂରାଜୀର ପତ୍ରଗୁଡ଼ିକ ମନ୍ଦିରର ପୁଜାରୀ ଭଗବାନଙ୍କ ସାମ୍ନାରେ ପଢ଼ିଥା’ନ୍ତି। ଅନ୍ୟ କୌଣସି ଭାଷାରେ ହେଲେ ପୂଜାରୀ କେବଳ ଭଗବାନଙ୍କ ସମ୍ମୁଖରେ ଏହାକୁ ରଖିଦିଅନ୍ତି।
ଭଗବାନ ତ୍ରିନେତ୍ର ଗଣେଶଙ୍କୁ ବାହାଘର ନିମନ୍ତ୍ରଣ ପତ୍ର ପଠାଇଲେ ସମସ୍ତ କାର୍ଯ୍ୟ ବିଘ୍ନ ବିନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଏଠାକାର ଆଖପାଖ ଅଞ୍ଚଳରେ କାହାରି ବାହାଘର ହେଲେ ପ୍ରଥମ ନିମନ୍ତ୍ରଣ ପତ୍ର ଭଗବାନ ତ୍ରିନେତ୍ର ଗଣେଶଙ୍କ ନିକଟକୁ ଆସିଥାଏ। ସମଗ୍ର ବିଶ୍ୱରେ ଏହା ହେଉଛି ଏକମାତ୍ର ଗଣେଶ ମନ୍ଦିର, ଯେଉଁଠି ଶ୍ରୀଗଣେଶଙ୍କ ତିନୋଟି ନେତ୍ର ଅଛି। ଏଠାରେ ଭଗବାନ ଗଣେଶ ପୂରା ପରିବାର ଅର୍ଥାତ୍ ଦୁଇ ପତ୍ନୀ ରିଦ୍ଧି ଓ ସିଦ୍ଧି ଏବଂ ଦୁଇ ପୁତ୍ର ଶୁଭ ଓ ଲାଭଙ୍କ ସହ ବିରାଜମାନ କରିଛନ୍ତି। ଭଗବାନ ଗଣେଶଙ୍କ ବାହନ ମୂଷିକ ମଧ୍ୟ ଏଠାରେ ବିରାଜମାନ କରିଛନ୍ତି। ଗଣେଶ ଚତୁର୍ଥୀ ଦିନ ଏଠାରେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ଭଗବାନ ଗଣେଶଙ୍କ ତୃତୀୟ ନେତ୍ରକୁ ଜ୍ଞାନର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ମନ୍ଦିରଟି ୧୪୭୯ ଫୁଟ ଉଚ୍ଚରେ ଆରାବଳୀ ଏବଂ ବିନ୍ଧ୍ୟାଚଳ ପର୍ବତରେ ଅବସ୍ଥିତ। ତ୍ରିଲୋଚନ ଗଣେଶଙ୍କୁ ଦର୍ଶନ କରିବାକୁ ହେଲେ, ଅନେକ ଶିଡ଼ି ଚଢ଼ିବାକୁ ପଡ଼ିଥାଏ। କେବଳ ଏତିକି ନୁହେଁ, କୌଣସି ଅସୁବିଧା ହେଲେ ଭକ୍ତମାନେ ଏଠାକୁ ଚିଠି ପଠାନ୍ତି । ପ୍ରତିଦିନ ହଜାର ହଜାର ନିମନ୍ତ୍ରଣ କାର୍ଡ ଏବଂ ଚିଠି ଏଠାରେ ପହଞ୍ଚେ। ଆଉ ଏହି ଚିଠି ଗୁଡ଼ିକୁ ପୂଜାରି ଭଗବାନ ତ୍ରିନେତ୍ର ଗଣେଶଙ୍କ ନିକଟରେ ପଢ଼ିଥାଆନ୍ତି ଯାହାଦ୍ୱାରା ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
ଖ୍ରୀଷ୍ଟପୂର୍ବ ୧୨୯୯-୧୩୦୧ ମଧ୍ୟରେ ମହାରାଜା ହାମିରଦେବ ଚୌହାନ ଏବଂ ଦିଲ୍ଲୀର ଶାସକ ଆଲାଉଦ୍ଦିନ ଖିଲଜୀଙ୍କ ମଧ୍ୟରେ ରଣଥମ୍ଭୋରରେ ଯୁଦ୍ଧ ହୋଇଥିଲା। ଏହି ସମୟରେ ନଅ ମାସରୁ ଅଧିକ ସମୟ ଦୁର୍ଗକୁ କିଲା ଶତ୍ରୁମାନେ ଘେରି ରହିଥିଲେ । ଯେତେବେଳେ ଦୁର୍ଗରେ ରାସନ ସାମଗ୍ରୀ ସରିଗଲା ସେତେବେଳେ ଗଣେଶ ହମିରଦେବ ଚୌହାନଙ୍କ ସ୍ୱପ୍ନରେ ଦେଖା ଦେଇ ସେହି ସ୍ଥାନରେ ପୂଜା କରିବାକୁ କହିଥିଲେ। ହମିର ଦେବ ସେଠାରେ ପହଞ୍ଚିବା ପରେ ଗଣେଶ ସ୍ୱୟଂ ପ୍ରକଟ ହୋଇଥିଲେ । ଆଉ ହମିର ଦେବ ପୁନର୍ବାର ଏଠାରେ ମନ୍ଦିର ନିର୍ମାଣ କରିଥିଲେ। ସେଥିପାଇଁ ଏହାକୁ ଭାରତର ପ୍ରଥମ ଗଣେଶ ମନ୍ଦିର କୁହାଯାଏ।