ଜେଲ ଭିତରେ ଖାଲି ପେଟରେ ତଳେ ଶୋଇଥିଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ: ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଜେଲରୁ ମୁକୁଳି ଘରକୁ ଫେରିଛନ୍ତି । ଅଦାଲତ ତାଙ୍କୁ ଜାମିନ ଦେବା ପରେ ସେ ଜେଲରୁ ବାହାରିଥିଲେ । ହେଲେ ତାଙ୍କୁ ଗୋଟେ ରାତି ଚଞ୍ଚଲଗୁଡା ଜେଲ ଭିତରେ କଟାଇବାକୁ ପଡ଼ିଥିଲା । କେମିତି କଟିଲା ଏହି ରାତି ସେ ବିଷୟରେ ବଖାଣିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ ।

ଅଲ୍ଲୁ ଅର୍ଜୁନଙ୍କୁ ତଳ ଅଦାଲତ ୧୪ ଦିନିଆ ରିମାଣ୍ଡରେ ପଠାଇବା ପରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି । କିନ୍ତୁ ଗୋଟିଏ ରାତି ତାଙ୍କୁ ଜେଲରେ କାଟିବାକୁ ପଡ଼ିଛି । ଜେଲରୁ ମୁକୁଳିବା ପରେ ଘରକୁ ଫେରି ସେ ଇମୋସନାଲ ଥିବା ଦେଖାଯାଇଛି । ତେବେ ଚଞ୍ଚଲଗୁଡା ଜେଲରେ ସୁପରଷ୍ଟାରଙ୍କୁ ଭିଆଇପି ଟ୍ରିଟମେଣ୍ଟ ମିଳି ନଥିବା ଜାଣିବାକୁ ମିଳିଛି ।

ଗିରଫ ପରେ ପୋଲିସ ଷ୍ଟେସନରେ ତାଙ୍କୁ ଜଣେ ସାଧାରଣ କଏଦୀ ଭଳି ବ୍ୟବହାର କରାଯାଇଥିଲା । ତାଙ୍କର କଏଦୀ ନମ୍ବର ୭୯୯୭ ରହିଥିଲା । ଜେଲ ରେକର୍ଡରେ ତାଙ୍କର ସମସ୍ତ ତଥ୍ୟ ମଧ୍ୟ ରେକର୍ଡ କରାଯାଇଥିଲା । ଜେଲ ଭିତରେ ସେ କିଛି ଖାଇ ନ ଥିଲେ । ସାରା ରାତି ତଳେ ଶୋଇଥିଲେ। କିନ୍ତୁ ଘରେ ପହଞ୍ଚିବା ପରେ ପ୍ରଥମେ ତାଙ୍କ ସ୍ତ୍ରୀକୁ ଧରି କାନ୍ଦି ପକାଇଥିଲେ ଅଲ୍ଲୁ ଅର୍ଜୁନ । ଜେଲରୁ ଫେରିବା ପରେ ସ୍ତ୍ରୀଙ୍କୁ ଦେଖି ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଏହାପରେ ସମସ୍ତଙ୍କୁ କ୍ଷମା ମାଗିବା ସହ ମୃତ ମହିଳାଙ୍କ ପରିବାରକୁ ମଧ୍ୟ ସାନ୍ତ୍ୱନା ଦେଇଥିଲେ । ତେବେ ଘରକୁ ଫେରିବା ପରେ ଅଲ୍ଲୁ ଅର୍ଜୁନ ଆଇନ ଏବଂ କାନୁନକୁ ଧନ୍ୟବାଦ ଜଣାଇବା ସହ ଆଇନକୁ ସମ୍ମାନ କରୁଥିବା କହିିଛନ୍ତି ।

ସାରା ଭାରତ ପାଇଁ ଅଲ୍ଲୁ ଅର୍ଜୁନ ହେଉଛନ୍ତି ଜଣେ ସୁପରଷ୍ଟାର । କିନ୍ତୁ ଆଇନ ଆଗରେ ସମସ୍ତେ ସମାନ । ଯାହା କାଲି ପ୍ରମାଣ ହୋଇଯାଇଛି । ହାଇଦ୍ରାବାଦ ହଲ୍ ଦଳାଚକଟା ମାମଲାରେ ହାଇଦ୍ରାବାଦ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି । ତେବେ ପରେ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି ପୁଷ୍ପା ଫେମ୍ ଅଲ୍ଲୁ । କିନ୍ତୁ କୋର୍ଟଙ୍କ ଆଦେଶ ସଠିକ ସମୟରେ ପହଞ୍ଚି ନ ପାରିବାରୁ ସୁପରଷ୍ଟାରଙ୍କୁ ଗୋଟିଏ ରାତି ଜେଲରେ କାଟିବାକୁ ପଡ଼ିଛି ।

ଗତ ୪ ତାରିଖ ରାତିରେ ଅଲ୍ଲୁ ଅର୍ଜୁନ ତାଙ୍କର ଚଳଚ୍ଚିତ୍ର ‘ପୁଷ୍ପା ୨: ଦ ରୁଲ’ର ପ୍ରିମିୟର ଶୋ ଦେଖିବା ପାଇଁ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପହଞ୍ଚିଥିଲେ। ଏହି ସମୟରେ ଶୋ ପାଇଁ ସେ ବ୍ୟକ୍ତିଗତ ସୁରକ୍ଷା ସହିତ ଅଚାନକ ଥିଏଟରରେ ପହଞ୍ଚିଥିଲେ। ଆଉ ଅଲ୍ଲୁଙ୍କ ଟିକେ ଝଲକ ପାଇବା ପାଇଁ ସନ୍ଧ୍ୟା ଥିଏଟରରେ ଭିଡ଼ ଜମିଥିଲା । ଧୀରେ ଧୀରେ ଭିଡ଼ ଅଣାୟତ ହେବାରେ ଲାଗିଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ବି ନାକେଦମ ହେବାକୁ ପଡ଼ିଲା । ଶେଷରେ ସ୍ଥାନୀୟ ପୋଲିସ ଲାଠି ଚାର୍ଜ କରିଥିଲା। ଆଉ ଏହି ସମୟରେ ହୋଇଥିବା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଆଉ ତାଙ୍କର ୮ ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ଗତ ୫ରେ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ଚିକ୍କାଡପଲି ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଟିମ ତଥା ଥିଏଟର ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

ତେବେ ଘଟଣା ଘଟିବାର ଦୁଇ ଦିନ ପରେ ଅଭିନେତା ଅଲ୍ଲୁ ଅର୍ଜୁନ ମୃତକଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସେ କହିଥିଲେ ଯେ, ଏହି ଘଟଣାକୁ ନେଇ ସେ ଖୁବ୍ ଦୁଃଖିତ । ମୃତ ମହିଳାଙ୍କ ପରିବାରକୁ ସେ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବେ। ସେ ବ୍ୟକ୍ତିଗତ ଭାବରେ ସେମାନଙ୍କୁ ଭେଟିବେ ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ। ଏଥିସହ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବାଳକର ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ଉଠାଇବେ ବୋଲି ମଧ୍ୟ କହିଥିଲେ। ଫିଲ୍ମ ଦେଖିବାକୁ ଗଲା ବେଳେ ଭିଡ଼ ଥିଲେ ଯତ୍ନବାନ ହେବା ପାଇଁ ଅଭିନେତା ନିଜ ପ୍ରଶଂସକଙ୍କୁ ଭିଡିଓ ମାଧ୍ୟମରେ ଅପିଲ୍ କରିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *