ମେଡିକାଲରେ ଅଗ୍ନିକାଣ୍ଡ, ଜଳିଗଲେ ୧୦ ଶିଶୁ

ଉତ୍ତର ପ୍ରଦେଶ: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ଆଁରେ ଜୀବନ୍ତ ଜଳିଗଲେ ୧୦ ଜଣ ନବଜାତ ଶିଶୁ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଝାନସିସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ। ପରିସ୍ଥିତି ଏପରି ରହିଛି କି ଅନେକ ଶିଶୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ଅଗ୍ନିକାଣ୍ଡରେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସର୍ଟ ସର୍କିଟରୁ ହସ୍ପିଟାଲରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଗତକାଲି ରାତିରେ ହସ୍ପିଟାଲର NICUରେ ପ୍ରଥମେ ନିଆଁ ଲାଗିଥିଲା । ତୁରନ୍ତ ହସ୍ପିଟାଲ କର୍ମଚାରୀ ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରିଥିଲେ । ଗତକାଲି ରାତି ପ୍ରାୟ ୧୦ଟା ୩୫ ମିନିଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବା ମାତ୍ରେ ଶିଶୁ ରୋଗ ୱାର୍ଡରେ ଥିବା ୩୭ ଜଣଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲରେ ଥିବା ୨ଟି ଶିଶୁରୋଗ ୱାର୍ଡରୁ ଗୋଟିଏ ୱାର୍ଡରେ ନିଆଁ ଲାଗିଥିବା ସୂଚନା ମିଳିଛି । ଦମକଳ ବାହିନୀ ତୁରନ୍ତ ପହଞ୍ଚିଥିବା ବେଳେ ବହୁ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା।

ମୃତକଙ୍କ ମଧ୍ୟରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ବି ୩ ଜଣ ମୃତ ଶିଶୁଙ୍କୁ ଚିହ୍ନଟ କରାଯାଇନାହିଁ । ଚିହ୍ନଟ ହୋଇନଥିବା ମୃତ ଶିଶୁଙ୍କ ଡିଏନଏ ପରୀକ୍ଷା କରାଯାଇ ଚିହ୍ନଟ କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାକୁ ଅତି ଗୁରୁତର ସହ ନେଇଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ଝାନସୀ ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ମୃତ ଶିଶୁଙ୍କ ପରିବାର ପାଇଁ ୫ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏଥିସହ ଗୁରୁତରଙ୍କ ପରିବାର ନିମନ୍ତେ ୫୦ ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି।

ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ମୋଦି ଲେଖିଛନ୍ତି, ଏହା ଅତ୍ୟନ୍ତ ହୃଦୟ ବିଦାରକ ଘଟଣା । ଉତ୍ତରପ୍ରଦେଶ ଝାନ୍ସୀ ରାଣୀ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା ମନକୁ ବହୁତ ବ୍ୟଥିତ କରିଛି । ନିଜର ନିରୀହ ସନ୍ତାନଙ୍କୁ ହରାଇଥିବା ପରିବାରକୁ ମୋର ସମବେଦନା । ଏହି ଦୁଃଖ ସମୟରେ ଆପଣଙ୍କୁ ପ୍ରଭୁ ସହିବାର ଧର୍ଯ୍ୟ ଦିଅନ୍ତୁ ବୋଲି କହିଛନ୍ତି ମୋଦି । ଅନ୍ୟପଟେ କେନ୍ଦ୍ର ତରଫରୁ ମୃତ ଶିଶୁଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୋଦି ।

ଶୁକ୍ରବାର ବିଳମ୍ବିତ ରାତିରେ ଏନେଇ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ।କ’ଣ ପାଇଁ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଲା,ଏତେ ସଂଖ୍ୟକ ଛୁଆଙ୍କ ଜୀବନ ଚାଲିଗଲା ତାହାର ଉଚ୍ଚସ୍ତରୀୟ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ଯାଞ୍ଚ ରିପୋର୍ଟ ୧୨ ଘଣ୍ଟାରେ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାର ତ୍ରିସ୍ତରୀୟ ଯାଞ୍ଚ କରାଯିବ । ପ୍ରଥମ ଯାଞ୍ଚ ସ୍ୱାସ୍ଥ୍ୟ ବିଭାଗ କରିବ। ଦ୍ୱିତୀୟ ଯାଞ୍ଚ ପୁଲିସ୍ ପ୍ରଶାସନ ଓ ଅଗ୍ନିଶମ ବିଭାଗ କରିବେ। ଏହାପରେ ମାଜିଷ୍ଟ୍ରେଟ ଶେଷ ଯାଞ୍ଚ କରିବେ। ଯେଉଁମାନଙ୍କ ଦାୟିତ୍ୱହୀନତା ନିମନ୍ତେ ଏପରି ଘଟଣା ଘଟିଥିବା ପ୍ରମାଣିତ ହେବ ସେମାନଙ୍କୁ ଚିହ୍ନଟ କରି କଡ଼ା ଶାସ୍ତି ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *