ସୂର୍ଯ୍ୟକୁମାର ନୂଆ ଟି-ଟ୍ୱେଣ୍ଟି କ୍ୟାପଟେନ୍

ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହେବେନି ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ , ରନ୍ ମେସିନ୍ ସୂର୍ଯ୍ୟକୁମାର ଯାଦବ ହେବେ ଟିମ୍ ଇଣ୍ଡିଆ ନୂଆ ଟି-ଟ୍ୱେଣ୍ଟି କ୍ୟାପଟେନ୍ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରୁ ଭାରତୀୟ ଦଳର ନୂଆ ଅଧିନାୟକ ଓ କୋଚ୍ ଯୋଡିର ଯୁଗ ଆରମ୍ଭ ।ହିଟ୍ ମ୍ୟାନ୍ ଅବସର ନେବା ପରେ ଏବେ ତାଙ୍କ ସ୍ଥାନକୁ ଧସେଇ ପଶିଛନ୍ତି ଫଟାଫଟ୍ କ୍ରିକେଟ୍ ଫର୍ମାଟର ରନ୍ ମେସିନ୍ । ଅଧିନାୟକ ରୋହିତ୍ ଶର୍ମାଙ୍କ ଅବସର ଘୋଷଣାପରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ କ୍ୟାପଟେନ୍ସି ଚର୍ଚ୍ଚା ଜୋର୍ ଧରିଥିବାବେଳେ ଏବେ ରେସରେ ଆଗକୁ ଆସିଛନ୍ତି ସାଥୀ ମୁମ୍ବାଇ କ୍ରିକେଟର ସୂର୍ଯ୍ୟକୁମାର ଯାଦବ। ଜୁଲାଇ ୨୭ ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଅଧିନାୟକ ହେବେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ହେଲେ ଏବେ ଚର୍ଚ୍ଚା ହେଉଛି ଯେ, ପାଣ୍ଡ୍ୟା ନୁହନ୍ତି ସୂର୍ଯ୍ୟକୁମାର ହିଁ ରୋହିତଙ୍କ ପରେ ଅଧିନାୟକ ଦାଇତ୍ୱ ନେବେ।

ଫିଟନେସ କାରଣରୁ ହାର୍ଦ୍ଦିକଙ୍କ ଉପଲବ୍ଧତାକୁ ନେଇ ଅନିଶ୍ଚିତତା ଥିବାରୁ ତାଙ୍କୁ ବିସିସିଆଇ ଓ ‌କୋଚ୍ ଗୌତମ ଗମ୍ଭୀର ଅଧିନାୟକ ନକରି ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରିବାକୁ ଚିନ୍ତା କରୁଛନ୍ତି। ବିସିସିଆଇର ଏକ ସୂତ୍ରର କହିବା ଅନୁସାରେ, ହାର୍ଦ୍ଦିକ ନିଜର ଫିଟନେସ କାରଣରୁ ନିଜେ ଆସନ୍ତା ଅଗଷ୍ଟରେ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ବିରତି ନେବାକୁ ନିଷ୍ପତ୍ତି ନେଇସାରିଛନ୍ତି । ବ୍ୟକ୍ତିଗତ କାରଣରୁ ସେ ବିରତି ନେଇଥିବା ଜଣାପଡ଼ିଛି। ତାଙ୍କ ସ୍ଥାନରେ କେ‌.ଏଲ. ରାହୁଲ ଦଳର ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି। ତେଣୁ ଏପରି ସ୍ଥିତିରେ ବି.ସି.ସି.ଆଇ. ଏକ ଦୀର୍ଘକାଳୀନ ଭିତ୍ତିରେ ଟି-ଟ୍ୱେଣ୍ଟି ଫର୍ମାଟର ଅଧିନାୟର ଭାର ଜଣେ ନିର୍ଦ୍ଦିଷ୍ଟ ଖେଳାଳିଙ୍କ କାନ୍ଧରେ ରଖିବାକୁ ଚାହୁଁଛି। ଏହା ମଧ୍ୟ ନୂଆ କୋଚ୍ ଗୌତମ ଗମ୍ଭୀରଙ୍କ ମତ ବୋଲି କୁହାଯାଉଛି। ତେଣୁ ଟି-ଟ୍ୱେଣ୍ଟି ଫର୍ମାଟର ଫର୍ମ, ଫିଟନେସ ଓ ଅନୁଭବକୁ ଆଖିରେ ରଖି ସୂର୍ଯ୍ୟକୁମାରଙ୍କ ନାଁରେ ମୋହର ବାଜିବାର ସମ୍ଭାବନା ଢେର ଅଧିକ ବୋଲି କୁହାଯାଉଛି।

୨୦୨୪ ଟି-୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଉପ-ଅଧିନାୟକ ଥିଲେ। ଏହା ପରେ ବିଶ୍ୱାସ କରାଯାଉଥିଲା ଯେ ସେ ଦଳର ପରବର୍ତ୍ତୀ ଅଧିନାୟକ ହେବେ। କିନ୍ତୁ ଏବେ ଏହା ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ଦଳର ନେତୃତ୍ୱ ନେଇସାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ସୂର୍ଯ୍ୟଙ୍କ ନେତୃତ୍ୱରେ ଭାରତ ୪-୧ ରେ ସିରିଜ ବିଜୟ ହାସଲ କରିଥିବାବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧-୧ ରେ ସିରିଜ୍ ବରାବର କରିଥିଲା। ସେପଟେ ଜୁଲାଇ ୨୭ ରୁ ଦଳର ନୂଆ କୋଚ୍ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ଆରମ୍ଭ ହେଉଥିବାରୁ , ଭାରତୀୟ ଦଳର ନୂଆ କୋଚ୍ ଓ କ୍ୟାପଟେନ୍ ଯୋଡ଼ିର ଯୁଗ ଶ୍ରୀଲଙ୍କା ଗସ୍ତରୁ ହିଁ ଆରମ୍ଭ ହେବ।

Meinstyn Solutions

Meinstyn Solutions

Leave a Reply

Your email address will not be published. Required fields are marked *