ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବଲିଉଡ଼ ଅଭିନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ଜାମିନ ବିହୀନ ପରୱାନା (ଏନବିଡବ୍ଲୁ) ଜାରି କରିଛନ୍ତି ମୁରାଦାବାଦର ଏମପି-ଏମଏଲଏ କୋର୍ଟ । ବାରମ୍ବାର ସମନ ସତ୍ତ୍ୱେ କୋର୍ଟରେ ହାଜର ନ ହେବା କାରଣରୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି । ସୋମବାର ଅଶ୍ଲୀଳ ଟିପ୍ପଣୀ ମାମଲାରେ ଜୟା ପ୍ରଦା କୋର୍ଟରେ ହାଜର ହେବାର ଥିଲା । କିନ୍ତୁ ସେ କୋର୍ଟ ନ ଆସିବାରୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ । ଆସନ୍ତା ୯ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣୀ କରାଯିବ ।
୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମୁରାଦାବାଦର କଟଘର ଥାନା ଅଞ୍ଚଳରେ ଥିବା ମୁସଲିମ୍ ଡିଗ୍ରି କଲେଜରେ ପୂର୍ବତନ ସାଂସଦ ଆଜମ ଖାନଙ୍କ ସ୍ୱାଗତ ଲାଗି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁରାଦାବାଦର ପୂର୍ବତନ ସାଂସଦ ଏସଟି ହସନ ଅଭିନେତ୍ରୀ ଜୟା ପ୍ରଦାଙ୍କ ଉପରେ ଅଶ୍ଳୀଳ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ସମାଜବାଦୀ ପାର୍ଟି ନେତା ସାମିଲ ଥିଲେ । ପୂର୍ବ ଯୋଜନା ଅନୁସାରେ ସପା ନେତାମାନେ ଜୟାଙ୍କ ବିରୋଧରେ ଅଶ୍ଳୀଳ ଟିପ୍ପଣୀ କରିଥିଲେ । ଏହାକୁ ନେଇ ରାମପୁରର ବାସିନ୍ଦା ମୁସ୍ତାଫା ହୁସୈନ ସପା ନେତା ଏସଟି ହସନ, ଆଜମ ଖାନ, ଅବଦୁଲ ଆଜମ, ସମ୍ଭଲର ସପା ନେତା ଫିରୋଜ ଖାନ ଏବଂ କାର୍ଯ୍ୟକ୍ରମର ଆୟୋଜକ ମହମ୍ମଦ ଆରିଫ ଏବଂ ରାମପୁରର ପୂର୍ବତନ ନଗରପାଳିକା ଅଧ୍ୟକ୍ଷ ଅଜହର ଖାନଙ୍କ ବିରୋଧରେ କଟଘର ଥାନାରେ ଏତଲା ଦେଇଥିଲେ ।
ଏହି ମାମଲାର ଶୁଣାଣି ମୁରାଦାବାଦର ସ୍ୱତନ୍ତ୍ର ଏମପି ଏମଏଲଏ କୋର୍ଟରେ ହେଉଛି । ଜୟା ପ୍ରଦା କୋର୍ଟରେ ହାଜର ହେଉ ନାହାନ୍ତି । ଏହାକୁ ନେଇ ଅଦାଲତ ପୁଣି ଥରେ ଜୟା ପ୍ରଦାଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଛନ୍ତି । ପୂର୍ବରୁ ଜୟା ପ୍ରଦା କୋର୍ଟରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇଥିଲେ କିନ୍ତୁ ଏବେ ଆଉ ଆସୁନାହାନ୍ତି । ଏହା ପରେ ଜାନୁଆରୀ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।