ଭକ୍ତଙ୍କୁ ଆଇ ଫୋନ୍ ଫେରାଇବାକୁ ମନାକଲା ମନ୍ଦିର ପ୍ରଶାସନ

ଚେନ୍ନାଇ: ମନ୍ଦିରର ଦାନ ବାକ୍ସରୁ ମିଳିଲା ଆଇଫୋନ୍ । ହେଲେ ଭକ୍ତଙ୍କ ଆଇଫୋନ୍‌କୁ ଫେରାଇବାକୁ ରୋକ୍‌ଠୋକ୍ ମନା କଲା ମନ୍ଦିର ପ୍ରଶାସନ । କାରଣ ମନ୍ଦିର ଦାନ ବାକ୍ସରୁ ଯାହା ମିଳେ, ତାହା ଭଗବାନଙ୍କର । ତେଣୁ ଏହାକୁ ଫେରାଇବା ସମ୍ଭବ ନୁହେଁ ବୋଲି କହିଲା ପ୍ରଶାସନ । ଏପରି ଏକ ଅଜବ ମାମଲା ଦେଖିବାକୁ ମିଳିଛି ଚେନ୍ନାଇ ନିକଟସ୍ଥ ଥିରୁପୋରୁରରେ ଅରୁଲମିଗୁ କନ୍ଦସ୍ୱାମୀ ମନ୍ଦିରରେ ।

ବିନାୟଗପୁରମ ର ଦୀନେଶ ନାମକ ଜଣେ ବ୍ୟକ୍ତି ଗତ ମାସରେ ସପରିବାର ଥିରୁପୋରୁରସ୍ଥିତ ଅରୁଲ୍‌ମିଗୁ କନ୍ଦସ୍ୱାମୀ ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥିଲେ। ଦର୍ଶନ ସାରି ସେ ମନ୍ଦିରକୁ ଦାନ କରିବା ଉଦ୍ଦେଶ୍ୟର ଦାନବାକ୍ସ ନିକଟକୁ ଯାଇଥିଲେ। ଦାନ ଦେବା ବେଳେ ଅସାବଧାନତା ବଶତଃ ତାଙ୍କ ସାର୍ଟ ପକେଟରେ ଥିବା ଆଇ ଫୋନ୍‌ଟି ଭୁଲ୍‌ରେ ଦାନବାକ୍ସ ମଧ୍ୟରେ ଖସିପଡ଼ିଥିଲା। ଘଟଣା ସମ୍ପର୍କରେ ଦୀନେଶ ତୁରନ୍ତ ମନ୍ଦିରରେ ଅଧିକାରୀଙ୍କୁ ଜଣାଇଥିଲେ । ଆଉ ତାଙ୍କ ଆଇ ଫୋନ୍ ଫେରାଇବାକୁ ଅନୁରୋଧ କରିଥିଲେ। ହେଲେ ଫୋନ୍ ଫେରାଇବାକୁ ମନ୍ଦିର ପ୍ରଶାସନ ଅରାଜି ହୋଇଥିଲା।

ଦାନବାକ୍ସରେ ଦିଆଯାଇଥିବା ପ୍ରତ୍ୟେକ ଜିନିଷ ଈଶ୍ୱରଙ୍କର ସମ୍ପତ୍ତି ଭାବେ ଧରାଯାଇଥାଏ । ସେହିପରି ଦାନବାକ୍ସ ୨ ମାସକୁ କେବଳ ଥରଟିଏ ଖୋଲାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଦୀନେଶଙ୍କୁ କୁହାଯାଇଥିଲା। ଘଟଣା ସମ୍ପର୍କରେ ଦୀନେଶ ହିନ୍ଦୁ ରିଲିଜିଅନ ଆଣ୍ଡ ଚାରିଟେବଲ ଏଣ୍ଡାଓମେଣ୍ଟସ୍ (ଏଚ୍‌ଆର ଆଣ୍ଡ ସିଇ) ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଡିସେମ୍ବର ୨୦ରେ ଦାନବାକ୍ସ ଖୋଲାଯିବ, ତେଣୁ ସେହିଦିନ ମନ୍ଦିର ଆସିବାକୁ ଦୀନେଶଙ୍କୁ ‘ଏଚ୍‌ଆରଆଣ୍ଡ ସିଇ’ର ଅଧିକାରୀମାନେ ପରାମର୍ଶ ଦେଇଥିଲେ।

ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ, ଶନିବାର ମନ୍ଦିରର ଦାନବାକ୍ସ ଖୋଲାଯାଇଥିଲା, କିନ୍ତୁ ଦୀନେଶଙ୍କୁ ତାଙ୍କ ଆଇ ଫୋନ୍ ମିଳି ନ ଥିଲା। ଫୋନ୍ ବଦଳରେ କେବଳ ଜରୁରୀ ଡେଟା ଡାଉନ୍‌ଲୋଡ୍ କରାଯାଇ ସିମ୍‌କାର୍ଡ ଯୋଗେ ଦିଆଯାଇପାରିବ ବୋଲି ଦୀନେଶଙ୍କୁ କୁହାଯାଇଥିଲା। ଇତିମଧ୍ୟରେ ଏକ ନୂଆ ସିମ୍ କିଣି ସାରିଥିବା ଦୀନେଶ ଅଧିକାରୀଙ୍କ ଏହି ବିକଳ୍ପକୁ ଅଗ୍ରାହ୍ୟ କରିଦେଇଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *