ସିଡ୍ନୀ: ମନରେ ଇଛା ଥିଲେ ଉପାୟ ଏବଂ ସୁଯୋଗ ଆପେ ଆପେ ଆସେ। ଏକଥା ଅନେକ ସମୟରେ ଶୁଣିଥାଉ ଏବଂ ଅନେକ କ୍ଷେତ୍ରରେ ଦେଖିଥାଉ ମଧ୍ୟ। ୧୦୨ ବର୍ଷର ଜଣେ ମହିଳାଙ୍କୁ ଅଟକାଇ ପାରିନାହିଁ ବୟସ। ଏହି ବୟସରଙ୍କ ସେ ବୁଲିଛନ୍ତି ୭ଟି ମହାଦେଶ।
୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍ । ସେ ନିକଟରେ ବିଶ୍ୱର ସମସ୍ତ ୭ ମହାଦେଶକୁ ଯାତ୍ରା କରି ନିଜର ସ୍ବପ୍ନକୁ ସାକାର କରିପାରିଛନ୍ତି। ଏଥିପାଇଁ ଡୋରୋଥୀଙ୍କୁ ୟୁଟ୍ୟୁବ୍ ଚ୍ୟାନେଲ୍ ‘ୟେସ୍ ଥିଓରି’ର ନିର୍ମାତା ଅମର କାଣ୍ଡିଲ ଓ ଷ୍ଟାଫନ୍ ଟେଲରଙ୍କ ସହାୟତା ମିଳିଥିଲା। ରେଡ୍ଉଡ୍ସ ରିଟାୟାରମେଣ୍ଟ ଗ୍ରାମରେ ଶୁଟିଂ କରୁଥିବାବେଳେ କାଣ୍ଡିଲ ଏବଂ ଟେଲର ଡୋରୋଥୀଙ୍କୁ ଭେଟିଥିଲେ। ୭ ମହାଦେଶକୁ ଯାତ୍ରା କରିବା ନେଇ ଡୋରୋଥୀଙ୍କ ଇଚ୍ଛାକୁ ଦେଖି ଉଭୟେ ଅଭୀଭୂତ ହୋଇଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବାକୁ ସ୍ଥିର କରିଥିଲେ। ସେମାନେ ଡୋରୋଥୀଙ୍କ ପାଇଁ ଭ୍ରମଣ ମାର୍ଗ ଯୋଜନା ପ୍ରସ୍ତୁତ କରିଥିଲେ।
ଗତ ସପ୍ତାହରେ ଡୋରୋଥୀ ଅଷ୍ଟ୍ରେଲିଆର ସିଡ୍ନୀରେ ପହଞ୍ଚି ନିଜର ୭ ମହାଦେଶ ଭ୍ରମଣ ପାଇଁ ଦେଖିଥିବା ସ୍ବପ୍ନକୁ ପୂରା କରିଥିଲେ। କାଣ୍ଡିଲ ଏବଂ ଟେଲର ମଧ୍ୟ ସିଡ୍ନୀରେ ପହଞ୍ଚି ଡୋରୋଥୀଙ୍କ ଖୁସିରେ ସାମିଲ ହୋଇଥିଲେ।ତେବେ ସିଡ୍ନୀ ପାଇଁ ବିମାନ ଉଡ଼ାଣ ପୂର୍ବରୁ ଅଷ୍ଟ୍ରେଲିଆର ସର୍ବବୃହତ ଏୟାର ଲାଇନ୍ସ ‘କ୍ୱାଣ୍ଟସ୍’ର ପାଇଲଟ୍ ଏବଂ କ୍ରିଉ ସଦସ୍ୟମାନେ ଡୋରୋଥୀଙ୍କୁ ସମ୍ମାନିତ କରିଥିଲେ। ୭ ମହାଦେଶ ଭ୍ରମଣର ବିରଳ ରେକର୍ଡକୁ ହାସଲ କରିପାରିଥିବାରୁ ଡୋରୋଥୀଙ୍କୁ ଏହି ସମ୍ମାନ ମିଳିଥିଲା।
ଅଷ୍ଟ୍ରେଲିଆରେ ପହଞ୍ଚି ସେ ସିଡ୍ନୀ ହାର୍ବର୍ କ୍ରୁଜ୍, ୱାଇଲ୍ଡ ଲାଇଫ୍ ସିଡନୀ ଜୁ, ସିଡ୍ନୀ ଅପେରା ହାଉସ୍ ଏବଂ ବୋନି ବିଚ୍ ପରି ଦର୍ଶନୀୟ ସ୍ଥାନ ଭ୍ରମଣ କରି ଉପଭୋଗ କରିଥିଲେ। ସେହିପରି ଡୋରୋଥୀ ସିଡ୍ନୀର ବଟାନିକାଲ ଗାର୍ଡେନ୍ ଏବଂ ଆର୍ଟ ମ୍ୟୁଜିୟମରେ ମଧ୍ୟ ସମୟ ଅତିବାହିତ କରିଥିଲେ।