ହାଇଦ୍ରାବାଦ: ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ ପୁଷ୍ପା ୨ ର ପ୍ରିମିୟରରେ ଘଟିଥିଲା ଅଘଟଣ। ହାଇଦ୍ରାବାଦର ଏକ ଥିଏଟରରେ ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାର ଦିନ ଅଲୁ ଅର୍ଜୁନ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ୨ ରିଲିଜ ହୋଇଥିଲା । ଏହାର ପ୍ରିମିୟର ଶୋ ପାଇଁ ହାଇଦ୍ରାବାଦର ସଂନ୍ଧ୍ୟା ଥିଏଟରରେ ପହଞ୍ଚିଥିଲେ ଅଭିନେତା ଅଲୁ । ଏହି ସମୟରେ ଭିଡ ଏତେ ମାତ୍ରାରେ ବଢିଯାଇଥିଲା ଯାହାକୁ ସମ୍ଭାଳିବା ପୋଲିସ ପକ୍ଷରେ ମଧ୍ୟ ସହଜ ହୋଇନଥିଲା । ଫଳରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ସେତେବେଳେ ଜଣେ ମହିଳା ତାଙ୍କ ପୁଅ ସହ ତଳେ ପଡିଯାଇ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ମହିଳାଙ୍କ ମୃତ୍ୟୁ ହୋଇଛି । ଏବଂ ପୁଅ ଏବେ ଚିକିତ୍ସିତ ହେଉଛି । ଏହି ମାମଲାରେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବିଏନଏସ ଧାରା ୧୦୫ ଏବଂ ୧୧୮(୧) ଅନୁଯାୟୀ ଅଲୁଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ଏନେଇ ଅଲ୍ଲୁ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥିସହ ମୃତକ ମହିଳାଙ୍କ ପରିବାର ଲୋକଙ୍କୁ ୨୫ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜ୍ଜୁନ । ଅଲ୍ଲୁ ୩ ମିନିଟ ୪୭ ସେକେଣ୍ଡର ଏକ ଭିଡିଓ ସେୟାର କରି ତା’ର କ୍ୟାପସନରେ ଲେଖିଛନ୍ତି, ‘ସଂନ୍ଧ୍ୟା ଥିଏଟରରେ ଘଟିଥିବା ଦୁଃଖଦ ଘଟଣାରେ ମୁଁ ଅତ୍ୟନ୍ତ ବ୍ୟଥିତ । ଏହି କଠିନ ସମୟରେ ମୃତକଙ୍କ ପରିବାର ଲୋକଙ୍କୁ ମୁଁ ହୃଦୟରୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମୁଁ ତାଙ୍କ ସହ ଅଛି । ମୁଁ ବ୍ୟକ୍ତିଗତ ଭାବେ ତାଙ୍କ ପରିବାରକୁ ଯାଇ ଭେଟିବି । ପରିବାର ଉପରେ ବିତୁଥିବା ଏହି କଠିନ ସମୟରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଯଥା ସମ୍ଭବ ସହାୟତା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଉଛି ।
ଭିଡିଓରେ ଅଲୁ ତେଲୁଗୁ ଭାଷାରେ କହିଛନ୍ତି ଯେ, ଦର୍ଶକଙ୍କ ଏତେ ମାତ୍ରାରେ ଭିଡ଼ ବିଷୟରେ ମୋର କୌଣସି ଧାରଣା ନଥିଲା। ମୁକ୍ତିଲାଭର ପରଦିନ ସକାଳେ ମୁଁ ମୋର ଜଣେ ପ୍ରଶଂସକଙ୍କ ମୃତ୍ୟୁ ବିଷୟରେ ଖବର ପାଇଲି। ଯେତେବେଳେ ଆମେମାନେ ଏହା ଶୁଣିଲୁ ମୁଁ ଏବଂ ମୋ ଚଳଚ୍ଚିତ୍ରର ପୁରା ଟିମ୍ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲୁ। ମୁଁ ବର୍ଷ ବର୍ଷ ଧରି ପ୍ରେକ୍ଷାଳୟକୁ ଯାଉଛି, କିନ୍ତୁ ଏପରି ପରିସ୍ଥିତି କେବେ ଉପୁଜିନଥିଲା । ଏ ବିଷୟରେ ଜାଣିବା ପରେ ଫିଲ୍ମର ଏତେ ମାତ୍ରାରେ ସଫଳତା ପରେ ମଧ୍ୟ ମୋରା ପୁରା ଟିମ୍ କେହି ମଧ୍ୟ ଖୁସି ହୋଇପାରିନଥିଲୁ । ଲୋକଙ୍କ ମନୋରଞ୍ଜନ ପାଇଁ ଆମେ ଚଳଚ୍ଚିତ୍ର ନିର୍ମାଣ କରୁଛି । କିନ୍ତୁ ଏପରି କିଛି ଘଟୁଛି ଯାହା ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ ।
ଭିଡିଓରେ ଅଲୁ ଅର୍ଜୁନ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଦେଉଛି । ଏହା ବ୍ୟତୀତ ତାଙ୍କ ପୁଅର ଚିକିତ୍ସା ଖର୍ଚ୍ଚ ବ୍ୟତିତ ଭବିଷ୍ୟତରେ ପିଲାର ସମସ୍ତ ଆବଶ୍ୟକତା ମଧ୍ୟ ପୂରଣ କରିବି ବୋଲି କହିଛନ୍ତି ଅଭିନେତା । ଏଥିସହ ସେ ଦର୍ଶକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ଯେବେ ଆପଣମାନେ ପ୍ରେକ୍ଷାଳୟକୁ ଯାଉଛନ୍ତି ତେବେ ସାବଧାନର ସହିତ ଯାଆନ୍ତୁ ।