ମୁମ୍ବାଇ- ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନଭିସ୍। ଏଥିପାଇଁ ଐତିହାସିକ ଆଜାଦ ମୈଦାନରେ ପ୍ରସ୍ତୁତି ଶେଷ ହୋଇଛି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଓ ଅଜିତ ପାୱାର ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହି ଶପଥପାଠ ପୂର୍ବରୁ ଆସିଛି ନୂଆ ଟ୍ୱିଷ୍ଟ । ଶିବସେନାର ନିମନ୍ତ୍ରଣ ପତ୍ରରେ ଏକନାଥ ସିନ୍ଦେଙ୍କ ନାଁ ନାହିଁ । ଖାଲି ରହିଛି ଦେବେନ୍ଦ୍ର ପଡନାବିସଙ୍କ ନାଁ । ସେପଟେ ଏନସିପିର ନିମନ୍ତ୍ରଣ ପତ୍ରରେ କେବଳ ଅଜିତ ପାଓା୍ୱରଙ୍କ ନାଁ ରହିଛି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଶିବସେନାର କାର୍ଡରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଏବେ ବି ସିନ୍ଦେ ତାଙ୍କ ଜିଦ୍ରେ ରହିଛନ୍ତି । ଏମିତି କି ପ୍ରେସର ପଲିଟିକ୍ସ ଜାରି ରଖିଛନ୍ତି । ଗୃହ ବିଭାଗର ଚାହିଦା ଉପରେ ସିନ୍ଦେ କ୍ରମାଗତ ଭାବରେ ଜିଦ ଧରିଥିବାରୁ ଏହା ଦୃଢ ହେବାରେ ଲାଗିଛି। ଏସବୁ ମଧ୍ୟରେ ଶିବସେନା ବିଧାୟକ ଉଦୟ ସାମନ୍ତ କହିଛନ୍ତି ଯେ ଆମେ ଚାହୁଁ ଯେ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତୁ। ଏପରିକି ସେ କହିଛନ୍ତି ଯେ ଯଦି ସିନ୍ଦେ ଉପମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ଆମ ମଧ୍ୟରୁ କେହି ମନ୍ତ୍ରୀ ହେବେ ନାହିଁ।
ଶିବସେନାର ଏହି ଅନିଶ୍ଚିତତା ଭିତରେ କିନ୍ତୁ ଶପଥ ଗ୍ରହଣ ଉତ୍ସବ ପାଇଁ ଆଜାଦ ମୈଦାନରେ ନେତାଙ୍କ ମେଳି ହେବା ଆରମ୍ଭ ହୋଇଗଲାଣି । ଏହି କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ମୁମ୍ବାଇରେ ପହଞ୍ଚିିଲେଣି । ସିହ୍ନା ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ଆଗରୁ ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଭଗବାନ ଗଣେଶଙ୍କ ଦର୍ଶନ କରିଛନ୍ତି ।