ଅମୃତସର: ପଞ୍ଜାବ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଅକାଳ ତଖତ ସାହିବ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା କରିଛି । ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ ସିଂହଙ୍କୁ କ୍ଷମା ଦେବା ମାମଲାରେ ଏହି ଦଣ୍ଡାଦେଶ ଶୁଣାଯାଇଛି । ଦଣ୍ଡାଦେଶ ଅନୁସାରେ ସୁଖବୀର ବାଦଲଙ୍କୁ ଏକ ଘଣ୍ଟା ପାଇଁ ବାଥରୁମ ସଫା କରିବାକୁ ପଡିବ । ତା’ପରେ ତାଙ୍କୁ ଲଙ୍ଗର ଘରକୁ ଯାଇ ଅଇଁଠା ବାସନ ଧୋଇବାକୁ ପଡ଼ିବ। ଏହାପରେ ତାଙ୍କୁ କୀର୍ତ୍ତନ ଶୁଣିବାକୁ ପଡ଼ିବ। ଏଥିସହିତ ଶ୍ରୀ ସୁଖମଣି ସାହିବ ପାଠ କରିବାକୁ ପଡ଼ିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପ୍ରକାଶ ସିଂହ ବାଦଲଙ୍କ ଠାରୁ ‘ଫକର-ଏ-କୋମ୍’ ପୁରସ୍କାର ପ୍ରତ୍ୟାହାର କରାଯିବ ।
ଜଥେଦାର ରଘବୀର ସିଂହ ଦଣ୍ଡାଦେଶ ଶୁଣାଇ କହିଛନ୍ତି ଯେ, ସୁଖବୀରଙ୍କୁ ସ୍ୱର୍ଣ୍ଣମନ୍ଦିର ଘଣ୍ଟାଘର ବାହାରେ ଡ୍ୟୁଟି କରିବାକୁ ପଡ଼ିବ । ସେ ଅସୁସ୍ଥ ଥିବା କାରଣରୁ ଏ କାମ ସେ ହ୍ୱିଲ୍ ଚେୟାରରେ ବସି କରିବେ । ସୁଖବୀରଙ୍କ ବ୍ୟତୀତି କୋର୍ କମିଟି ମେମ୍ବର ଏବଂ ୨୦୧୫ରେ କ୍ୟାବିନେଟ ମେମ୍ବର ଥିବା ନେତା ୩ ଡିସେମ୍ବରରେ ଅପରାହ୍ନ ୧୨ଟାରୁ ଗୋଟେ ପର୍ଯ୍ୟନ୍ତ ବାଥରୁମ୍ ସଫା କରିବେ । ଏହାପରେ ଗାଧୋଇ ଲଙ୍ଗର ଘରେ ସେବା କରିବେ ଏବଂ ବାସନ ମାଜିବେ । ଏଥିସହ ସେମାନଙ୍କୁ ଘଣ୍ଟାଏ ବସି କୀର୍ତ୍ତନ ଶୁଣିବାକୁ ପଡ଼ିବ।
ସେବା ସମୟରେ ସୁଖବୀରଙ୍କ ଗଳାରେ ତଖ୍ତ ଏବଂ ବର୍ଛା ରହିବ । ତାଙ୍କୁ ମିଳିଥିବା ଦୁଇଦିନିଆ ଦଣ୍ଡରେ ସେ ୨ ଦିନ ଶ୍ରୀ କେଶଗଡ଼ ସାହୀବ, ୨ ଦିନ ଶ୍ରୀ ଦମଦମା ସାହୀବ ତଲବଣ୍ଡି ସାବୋ, ୨ ଦିନ ଶ୍ରୀ ମୁକ୍ତସର ସାହୀବ ଏବଂ ୨ ଦିନ ଶ୍ରୀ ଫରେହଗଡ଼ ସାହୀବରେ ହାତରେ ବର୍ଛା ଧରି ଡ୍ୟୁଟି କରିବେ । ରାମରହିମଙ୍କୁ କ୍ଷମା ଦେବା ଅଭିଯୋଗରେ ସୁଖବୀରଙ୍କୁ ତନଖେୟା ଘୋଷଣା କରାଯାଇଥିଲା । ନିଜ ଉପରକୁ କଟକଣା ହଟାଇବା ପାଇଁ କିଛିଦିନ ପୂର୍ବେ ସୁଖବୀର ଧର୍ମଗୁରୁଙ୍କ ଆଗରେ ପ୍ରସ୍ଥାବ ରଖିଥିଲେ । ଯାହାର ସମାଧାନରେ ତାଙ୍କୁ ଉପୋରକ୍ତ ଦଣ୍ଡ ପ୍ରଦାନ କରାଯାଇଛି ।