ରାୟପୁର: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍ଅପ୍, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍ ହେଉ ବା ରିଙ୍ଗ୍ ସେରିମୋନିକୁ ବେଶୀ ଗୁରୁତ୍ୱ ଦିଆଯାଉଛି । ହେଲେ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରିଙ୍ଗ୍ ନୁହେଁ ହେଲମେଟ୍ ପିନ୍ଧି ସମ୍ପନ୍ନ ହୋଇଛି ନିର୍ବନ୍ଧ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଉକ୍ତ ବରକନ୍ୟାକୁ ପ୍ରଶଂସା ବି କରିଛନ୍ତି ।
ଛତିଶଗଡ଼ର ରାଜନନ୍ଦଗାଓଁ ଜିଲାରେ ଏହି ନିଆରା ନିର୍ବନ୍ଧ ଉତ୍ସବ ଦେଖିବାକୁ ମିଳିଛି । ସ୍ଥାନୀୟ ଡୋଙ୍ଗରଗଡ ବ୍ଲକର ଜରୱାହି ନିବାସୀ ବୀରେନ୍ଦ୍ର ସାହୁଙ୍କ ସହ କାରିଆଟୋଲା ଗ୍ରାମ ନିବାସୀ ଜ୍ୟୋତି ସାହୁଙ୍କର ଗତ ଶନିବାର ନିର୍ବନ୍ଧ ହୋଇଥିଲା। ପ୍ରଥମେ ନିର୍ବନ୍ଧର ସମସ୍ତ ରୀତିନୀତି କରାଯାଇଥିଲା । ପରେ ଉଭୟ ବୀରେନ୍ଦ୍ର ଓ ଜ୍ୟୋତି ପରସ୍ପରକୁ ମୁଦି ପିନ୍ଧାଇ ନ ଥିଲେ । ବରଂ ହେଲ୍ମେଟ୍ ପିନ୍ଧାଇ ନିର୍ବନ୍ଧ ସମ୍ପନ୍ନ କରିଥିଲେ । ସେ ଏପରି କରି ସଡ଼କ ସୁରକ୍ଷାର ସଚେତନତାର ବାର୍ତ୍ତା ଦେଇଥିଲେ। ଉଭୟ ବରକନ୍ୟା ପରସ୍ପରକୁ ହେଲମେଟ ପିନ୍ଧାଉଥିବା ଦେଖି ନିର୍ବନ୍ଧରେ ଯୋଗଦେଇଥିବା ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏନେଇ ବୀରେନ୍ଦ୍ର କହିଛନ୍ତି, ୨୦୨୨ରେ ତାଙ୍କ ବାପା ପଞ୍ଚରମ ସାହୁଙ୍କର ଏକ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ହେଲ୍ମେଟ ପିନ୍ଧି ନ ଥିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କୁ ବଞ୍ଚାଯାଇପାରି ନ ଥିଲା। ସେବେଠାରୁ ସେ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ହେଲ୍ମେଟ ପିନ୍ଧିବା ନେଇ ଲୋକଙ୍କୁ ସଚେତନ କରାଇବା ଆରମ୍ଭ କରିଥିଲେ।