ଝାନ୍ସି: ବାଗେଶ୍ୱର ଧାମ ପୀଠ ମୁଖ୍ୟ ତଥା ପ୍ରବଚକ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଉପରକୁ ହୋଇଛି ମୋବାଇଲ ମାଡ଼ । ଉତ୍ତର ପ୍ରଦେଶରେ ଆୟୋଜିତ ହିନ୍ଦୁ ଏକତା ଯାତ୍ରା ଅବସରରେ ଏ ଘଟଣା ଘଟିଥିବା ଜଣାପଡ଼ିଛି । ବାବାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହିନ୍ଦୁ ଏକତା ଯାତ୍ରାରେ ଅନୁଗାମୀଙ୍କ ସହ ବାବା ଝାନ୍ସିରେ ପହଞ୍ଚିଥିଲେ । ସେଠାରେ କେହି ଜଣେ ବାବାଙ୍କ ମୁହଁକୁ ମୋବାଇଲ ମାଡ଼ କରିଥିବାର ଦେଖିବାକୁ ମିଳିଛି । ମୋବାଇଲଟିି ସିଧାସଳଖ ବାବାଙ୍କ ଗାଲରେ ବାଜିଥିଲା । ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବାଗେଶ୍ୱର ଧାମର ପୀଠାଧିଶ୍ୱର ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ହିନ୍ଦୁ ଏକତା ଯାତ୍ରା କରୁଛନ୍ତି। ୬ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ଉତ୍ତରପ୍ରଦେଶର ଝାନ୍ସିରେ ପହଞ୍ଚିଛି। ଏହି ଯାତ୍ରା ସମୟରେ କିଛି ଲୋକ ବାବାଙ୍କ ଉପରେ ମୋବାଇଲ୍ ଫୋନ୍ ଫିଙ୍ଗିଥିବା ସାମ୍ନାକୁ ଆସିଛି। ଏହି ଘଟଣା ଘଟିବା ସମୟରେ ବାବା ତାଙ୍କ ଭକ୍ତମାନଙ୍କ ସହିତ ପଦଯାତ୍ରା କରୁଥିଲେ। ସେ ମାଇକ୍ରୋଫୋନ୍ ମାଧ୍ୟମରେ ତାଙ୍କ ସହ ଥିବା ଭକ୍ତ ଏବଂ ସମର୍ଥକମାନଙ୍କୁ ସମ୍ବୋଧିତ କରୁଥିଲେ। ଏହି ସମୟରେ କେହି ଜଣେ ଫୁଲ ସହିତ ମୋବାଇଲ୍ ଫୋନ ଫିଙ୍ଗି ଦେବାରୁ ବାବାଙ୍କ ଗାଲରେ ଆସି ମୋବାଇଲ ମାଡ଼ ହୋଇଥିଲା। ତେବେ କେହି ଜାଣିଶୁଣି ଏଭଳି କରିଥିଲା ନା ଭୁଲବଶତଃ ଏଭଳି ଘଟିଥିଲା, ତାହା ଜଣାପଡ଼ିନାହିଁ।
ଆଜି ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ହିନ୍ଦୁ ଏକତା ଯାତ୍ରାର ଷଷ୍ଠ ଦିନ। ବାଗେଶ୍ୱର ଧାମରୁ ଓରଛା ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରାକୁ ବିପୁଳ ସମର୍ଥନ ମିଳିଛି । ତାଙ୍କ ସହ ହଜାର ହଜାର ଲୋକ ଯାତ୍ରା କରୁଛନ୍ତି। ବାବାଙ୍କୁ ଫୁଲ ସହିତ ଲୋକେ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ବାବାଙ୍କ ଏହି ଯାତ୍ରାରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ଦି ଗ୍ରେଟ୍ ଖଲି ମଧ୍ୟ ଭାଗ ନେଇସାରିଛନ୍ତି । ଏହା ବ୍ୟତୀତ ବିଜେପି ସାଧାରଣ ସମ୍ପାଦକ କୈଲାଶ ବିଜୟବର୍ଗିୟ, ବିଜେପି ବିଧାୟକ ରାଜେଶ୍ୱର ଶର୍ମା ଏବଂ କଂଗ୍ରେସ ବିଧାୟକ ଜୟବର୍ଦ୍ଧନ ସିଂଙ୍କ ସମେତ ଅନେକ ନେତା ତାଙ୍କ ଯାତ୍ରାକୁ ସମର୍ଥନ କରିଛନ୍ତି।