ମୁମ୍ବାଇ: କିଏ ହେବ ମହାରାଷ୍ଟ୍ର ମୁଖିଆ । ଦେବେନ୍ଦ୍ର ଫଡ଼ନାବିସ୍, ଏକନାଥ ସିନ୍ଦେ ନା ଅଜିତ୍ ପାୱାର । ଏହି ୩ ଜଣଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ପ୍ରଚଣ୍ଡ ବିଜୟ ପରେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ତୁଟୁନି ଅଡ଼ୁଆ । ହେଲେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପିର ଶୀର୍ଷ ନେତୃତ୍ୱ ଦେବେନ୍ଦ୍ର ଫଡନାବିସଙ୍କ ନାଁରେ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି । ଏହି ପ୍ରସ୍ତାବକୁ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଅଜିତ୍ ପାୱାରଙ୍କ ଏନସିପି ଗୋଷ୍ଠୀ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି । ଏଭଳି କଳ୍ପନାଜଳ୍ପନା ମଧ୍ୟରେ ଫଡ଼ନାବିସ ଦିଲ୍ଲୀ ଗସ୍ତ କରିଛନ୍ତି। ଦିଲ୍ଲୀରେ ସେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା କରିବେ।
ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ରାଜ୍ୟରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଚର୍ଚ୍ଚା ଚାଲିଛି। ଏଭଳି ଚର୍ଚ୍ଚା ଭିତରେ ଦେବେନ୍ଦ୍ର ଫଡ଼ନାବିସ୍ଙ୍କ ନାମ ଆଗରେ ରହିଛି । ଦିଲ୍ଲୀରେ ସେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକରେ ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଏନ୍ସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବେ ତାହା ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ପଦ ଲାଗି ବିଜେପିର ପ୍ରସ୍ତାବକୁ ସମର୍ଥନ କରିଛନ୍ତି।
ଶିବସେନାର ଜଣେ ବରିଷ୍ଠ ନେତା କହିଛନ୍ତି, ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଆମ ସହ କୌଣସି ଆଲୋଚନା ହୋଇନାହିଁ । ଆମ ଦଳ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ସହମତି ପ୍ରକାଶ କରିନାହିଁ। ସିନ୍ଦେ ଗତ ୩୬ ଘଣ୍ଟା ଧରି ବିଜେପି ସହ ଆଲୋଚନା କରୁଥିବା ବେଳେ ଏକ ସୂତ୍ରରୁ ପ୍ରକାଶ ଯେ ଶିବସେନାକୁ ପ୍ରାୟ ୧୨ଟି ମନ୍ତ୍ରୀ ପଦ ମିଳିବା ସହ ତାଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇପାରେ। ଏନ୍ସିପି ପାଖରେ ପାଖାପାଖି ୧୦ଟି ମନ୍ତ୍ରିପଦ ରହିବ ବୋଲି କୁହାଯାଉଛି।