ନୂଆଦିଲ୍ଲୀ: ନିଲମ୍ବିତ ହେଲେ ୧୦ ଏମ୍ପି । ୱାକଫ୍ ସଂଶୋଧନ ବିଲ ଉପରେ ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଚରମ ବିଶୃଙ୍ଖଳା ପାଇଁ ଏହି ୧୦ ବିରୋଧୀ ଦଳ ଏମପି ବୈଠକରୁ ଦିନକ ପାଇଁ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ କଲ୍ୟାଣ ବାନାର୍ଜୀ, ଏମ୍ଡି ଜାୱେଦ, ଏ ରାଜା, ଅସଉଦ୍ଦିନ ଅୱେସି, ନସିର ହୁସେନ, ମୋହିବୁଲ୍ଲା, ଏମ୍ ଅବଦୁଲ୍ଲା, ଅରବିନ୍ଦ ସାୱନ୍ତ, ନଦିମୁଲ ହକ୍ ଏବଂ ଇମ୍ରାନ ମସୁଦ।
ଗତକାଲି ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ୱକଫ୍ ସଂଶୋଧନ ବିଲ୍ ୨୦୨୪କୁ ନେଇ ବିରୋଧୀ ସାଂସଦ ଏବଂ ଶାସକ ଦଳର ନେତାମାନଙ୍କ ମଧ୍ୟରେ ହୋହଲ୍ଲା ହୋଇଥିଲା। ମିରୱେଜ ଉମର ଫାରୁକ୍ କମିଟି ନିକଟରେ ଫେରାଦ ହୋଇ ଆପତ୍ତି ଉଠାଇଥିଲେ ଏବଂ ଭାରତୀୟ ସମ୍ବିଧାନର ବିଭିନ୍ନ ଧାରା ଉଲ୍ଲଂଘନ ହୋଇଛି ବୋଲି କହିଥିଲେ। ସେ କହିଛନ୍ତି, ଆମେ ଗୁରୁତ୍ୱପୂର୍ଣ୍ଣ ପକ୍ଷ ଏବଂ ଆମକୁ ବିଲ୍ ପ୍ରସ୍ତୁତ କରିବା ଆଗରୁ ଯୋଗାଯୋଗ କରିବା ଆବଶ୍ୟକ ଥିଲା। କିନ୍ତୁ ଏହି ବୈଠକରେ ଏଜେଣ୍ଡା ବଦଳିଯାଇଛି। ବିଲ୍ର ପ୍ରତ୍ୟେକଟି ନିୟମାବଳୀ ଉପରେ ଆଲୋଚନା କରିବା ପାଇଁ ପୂର୍ବରୁ ସ୍ଥିର ହୋଇଥିଲେ ସୁଦ୍ଧା ତାହା ହୋଇନାହିଁ ବୋଲି ନିଲମ୍ବିତ ସାଂସଦମାନେ ଦର୍ଶାଇଛନ୍ତି । ଏନେଇ ସେମାନେ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପତ୍ର ଲେଖିଛନ୍ତି।
ବୈଠକରେ କେବଳ ଏକପାଖିଆ ଓ ଏକଚାଟିଆ ନିଷ୍ପତ୍ତି ନିଆଯାଇଥିବା ସେମାନେ କହିଛନ୍ତି। ବୈଠକ ନ୍ୟାୟୋଚିତ ଭାବେ ହେବା ଉଚିତ୍ ବୋଲି ସେମାନେ ଦାବି କରିଛନ୍ତି। ବୈଠକ ପୂର୍ବରୁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ ଯେ, ଡ୍ରାଫ୍ଟ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅଧ୍ୟୟନ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉନାହିଁ। ବିଜେପି ଏମ୍ପି ଜଗଦମ୍ବିକା ପାଲଙ୍କ ନେତୃତ୍ୱାଧୀନ ଜେପିସି କଶ୍ମୀରର ମୀରୱାଇଜ ଉମର ଫାରୁକଙ୍କ ନେତୃତ୍ୱାଧୀନ ପ୍ରତିନିଧିମଣ୍ଡଳୀଙ୍କ ମତ ଶୁଣିବାର ଥିଲା।